ଶ୍ରୀ ମଦ୍ ଭାଗବତ ଗୀତା ରେ ଭଗବାନ ଶ୍ରୀକୃଷ୍ଣ ସବୁ ମାସ ମଧ୍ୟରେ ମାର୍ଗଶିର ମାସ କୁ ଶ୍ରେଷ୍ଠ ବୋଲି କହିଥିଲେ ମଧ୍ୟ ପଦ୍ମ ପୁରାଣ ର ଉତ୍ତର ଖଣ୍ଡ ଅନୁସାରେ କାର୍ତ୍ତିକ ମାସହିଁ ଆରାଧନା, ଉପାସନା, ଆଦି ସମସ୍ତ ଦୃଷ୍ଟିରୁ ସର୍ବଶ୍ରେଷ୍ଠ ବୋଲି ପ୍ରତିପାଦିତ ହୋଇଛି । ଉକ୍ତ ପୁରାଣ ରେ କାର୍ତ୍ତିକମାସରେ ମହିମା ବର୍ଣ୍ଣନା ସହିତ ମାସର ବ୍ରତ ପାଳନକାରୀ ଙ୍କ କର୍ତ୍ତବ୍ୟ ନିଷ୍ଠା ତଥା ସେବା ର ପାଳନ ସମ୍ପର୍କ ରେ ତଥ୍ୟ ପ୍ରଦାନ କରାଯାଇଛି । ଯଥା :- ହରି ଜାଗରଣଂ, ପ୍ରାତଃ ସ୍ନାନଂ, ତୁଳସୀ ସେବନଂ, ଉଦ୍ଯାପନଂ, ଦୀପଦାନଂ ବ୍ରତାନ୍ୟେତାନି କାର୍ତ୍ତିକେ।

ସ୍ନାନ ମନ୍ତଂ:- କାର୍ତ୍ତିକେ ଅହଂ କରିଷ୍ୟାମି ପ୍ରାତଃ ସ୍ନାନଂ ଜନାର୍ଦ୍ଦନ /ପ୍ରୀତ୍ୟର୍ଥଂ ତବ ଦେବେଶ ଦାମୋଦର ମୟଃ ସହ।
ଦୀପଦାନ ମନ୍ତ୍ରଂ:- ଦାମୋଦରାୟ ନଭସି ତୁଳାୟାଂ ଲୋକୟା ସହ/ପ୍ରଦୀପଂତେ ପ୍ରୟଚ୍ଛାମି ନମୋଅନନ୍ତାୟ ବେଧସେ।

ଅର୍ଥାତ୍ କାୟମନୋବାକ୍ୟରେ ଶୁଦ୍ଧ ରହି ବ୍ରତ ଆଚରଣ ପୂର୍ବକ ଯେଉଁ ମାସରେ ଉପାସନା କରାଯାଏ, ତାହା କାର୍ତ୍ତିକ ମାସ ।ଏଣୁ ଏହି ମାସ ପୂ ମଧ୍ୟରେ ପରମ ପୂଣ୍ୟ ସ୍ୱରୂପ । ତଥା ପବିତ୍ର ମଧ୍ୟରେ ପରମ ପବିତ୍ର ।

ପଦ୍ମ ପୁରାଣ ରେ କାର୍ତ୍ତିକ ମହାତ୍ମ୍ୟ ରେ ବ୍ରତ ଙ୍କ ଅପୂର୍ବ ପୂଣ୍ୟ ଗାଥା ସମ୍ପର୍କରେ ବ୍ୟକ୍ତ କରାଯାଇଛି ଯେ, ସାଧାରଣରେ କାର୍ତ୍ତିକ ବ୍ରତ ଆଶ୍ଵିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳନ କରାଯାଇଥାଏ ।

ନାରଦ ପୁରାଣ ଅନୁସାରେ କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କୁହାଯାଇଥାଏ । ଏହାର ପୂର୍ବ ମାସ ଆଶ୍ଵିନ ଓ ପରମାସ ମାର୍ଗଶିର ମାସ ଅଟେ । ଏହି ପୁରାଣ ମତେ, ମାସ ମଧ୍ୟରେ କାର୍ତ୍ତିକ, ଯୁଗ ମଧ୍ୟରେ ସତ୍ୟ ଯୁଗ ଶ୍ରେଷ୍ଠ ଅଟେ । ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଜନଗଣ ଏହି ମାସଟିକୁ ନିଷ୍ଠାସହ ପାଳନ କରିଥାନ୍ତି । ମାସଟି ପାଳି ନ ପାରିଲେ ଶେଷ ପାଞ୍ଚଦିନ ଅର୍ଥାତ୍ ପଞ୍ଚୁକ ବ୍ରତ ପାଳନ କରିଥାନ୍ତି ।

ସ୍କନ୍ଦ ପୁରାଣ ଅନୁସାରେ :- ନ କାର୍ତ୍ତିକ ସମୋ ମାସ ,ନ କୃତେନ ସମଂ ଯୁଗଂ/ନ ବେଦସଦୃଶଂ ଶାସ୍ତ୍ରଂ ନ ତୀର୍ଥଂ ଗଙ୍ଗୟା ସମମ୍।
ଅର୍ଥାତ୍ :- କାର୍ତ୍ତିକ ପରି ମାସ ନାହିଁ। ସତ୍ଯ ପରି ଯୁଗ ନାହିଁ । ବେଦପରି ଶାସ୍ତ୍ର ନାହିଁ।ଗଙ୍ଗା ପରି ତୀର୍ଥ ନାହିଁ ।।

ଏହିମାସରେ ଶ୍ରୀ ମନ୍ଦିର ରେ ଦୈନନ୍ଦିନ ନୀତି ବ୍ୟତୀତ ସ୍ଵତନ୍ତ୍ର ନୀତି ମାନ ପାଳନ ହୋଇଥାଏ । ଯଥା:-ରାଧାଦାମୋଦର ବେଶ, ପଞ୍ଚୁକ ବେଶ, ବାଳଧୂପ ଆଦି ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଦୀପାବଳି ରେ ଦୀପଦାନ, ବୋଇତ ବନ୍ଦାଣ, ରାଧାଦାମୋଦର ପୂଜା ବଡ଼ଓଷା ବା ବାଲୁକା ପୂଜା କରାଯାଏ ।

ଆଷାଢ ଶୁକ୍ଳ ଏକାଦଶୀ ଠାରୁ ହରିଶୟନ ଯାଇଥାନ୍ତି । ସେହି ଦିନୁ ଚାର୍ତୁମାସ୍ୟା ବ୍ରତ ପାଳନ କରାଯାଇଥାଏ । କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ହରିଉତ୍ଥାପନ ଏକାଦଶୀ ବ୍ରତ ପାଳନ କରାଯାଇ ଚାର୍ତୁମାସ୍ୟା ବ୍ରତ ସମାପନ କରାଯାଇଥାଏ । ଏହି ଦିନ ସନ୍ଧ୍ୟା ଧୂପ ପରେ ଦୁଇଟି ବଡସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହୋଇ ଶୟନଠାକୁରଙ୍କ ନିଦ୍ରା ପରିତ୍ଯାଗ ପୂର୍ବକ ଶୟନ ଗୃହରୁ ବାସୁଦେବ ଭୁବନେଶ୍ବରୀ ଓ ଗୋପାଳଙ୍କୁ ଅଣାଯାଇ ଭଣ୍ଡାର ଘରେ ସ୍ଵତନ୍ତ୍ର ନୀତି କରାଯାଇଥାଏ ।

ପୌରାଣିକ ମତେ ପରମପିତା ବ୍ରହ୍ମା ଦେବର୍ଷି ନାରଦଙ୍କୁ କାର୍ତ୍ତିକ ମହାତ୍ମ୍ୟ ସମ୍ପର୍କରେ ବୁଝାଇ କହିଛନ୍ତି ଯେ:- ମାସ ମଧ୍ୟରେ କାର୍ତ୍ତିକ, ଦେବତାମାନଙ୍କ ମଧ୍ୟରେ ଭଗବାନ ବିଷ୍ଣୁ, ତୀର୍ଥମାନଙ୍କ ମଧ୍ୟରେ ନାରାୟଣ ତୀର୍ଥ ବା ବଦ୍ରିକାଶ୍ରମ ଶ୍ରେଷ୍ଠ ଅଟେ । ଏହା ତିନିହେଁ କଳିଯୁଗରେ ଅତ୍ଯନ୍ତ ଦୁର୍ଲଭ । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତି ପ୍ରୀୟ ମାସ। ତନ୍ମଧ୍ୟରୁ ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ । ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚକ, ବକ୍ଷରେ ପଞ୍ଚକ, ମହାପଞ୍ଚକ ଆଦି କୁହାଯାଇଥାଏ ।

ପଞ୍ଚୁକ ପାଞ୍ଚ ଦିନରେ ହେଉଥିବା ବେଶମାନ:-
କାର୍ତ୍ତିକ ଶୁକ୍ଳ ଏକାଦଶୀ :-ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ । 

କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ :-ବାଙ୍କଚୂଡ଼ା ।
କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ :- ତ୍ରିବିକ୍ରମ ।
କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ :-ଲକ୍ଷ୍ମୀନୃସିଂହ ।
କାର୍ତ୍ତିକ ପୂର୍ଣ୍ଣିମା :-ରାଜରାଜେଶ୍ଵର ବେଶ ବା ସୁନାବେଶ ବା ରାଜବେଶ 
ଯଦି ପଞ୍ଚୁକ ମଳ ତଥା ଛଅଦିନ ହୁଏ ତେବେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ (ସୌଜନ୍ୟ:ଶ୍ରୀ ନିଳକଣ୍ଠ ମୁଦ୍ରା)