ନରସିଂହ (नरसिंह – Narasiṃha) ବା ନୃସିଂହ (नृसिंह, Nṛsiṃha), ହେଉଛନ୍ତି ଏକାଧାରରେ ନର ଓ ସିଂହ। ଶ୍ରୀମଦ୍ଭାଗବତ, ସ୍କନ୍ଧ ପୁରାଣ ଏବଂ ଗୀତ ଗୋବିନ୍ଦରେ ବର୍ଣ୍ଣିତ ଦଶ ଅବତାର ଭିତରୁ ସତ୍ୟ ଯୁଗୀୟ ଚତୁର୍ଥ ଅବତାର ହେଲେ ନରସିଂହ। ନିଜ ଭକ୍ତ ପ୍ରହ୍ଲାଦର ମାନ ରକ୍ଷା କରିବାକୁ, ଭକ୍ତର ବଚନ “ଭଗବାନ ସବୁ ଜାଗାରେ ଅଛନ୍ତି”କୁ ସତ୍ୟ ପ୍ରମାଣିତ କରିବାକୁ ଓ ଦୁଷ୍ଟ ଅସୁର ହିରଣ୍ୟକଶିପୁର ବଧ କରିବାକୁ ଭୀଷଣକାୟ ନୃସିଂହ ରୂପରେ ସେ ଖମ୍ବରୁ ପ୍ରକଟ ହୋଇଥିଲେ ଓ ନିଜର ତୀକ୍ଷ୍ଣ ନଖପଂକ୍ତିରେ ହିରଣ୍ୟକଶିପୁର ବକ୍ଷକୁ ଚିରି ତାକୁ ହତ୍ୟା କରିଥିଲେ ।।


ସେ ହେଉଛନ୍ତି ଅଗ୍ର ସ୍ମରଣୀୟ, ତେଣୁ ତାଙ୍କର ନାମ ଶ୍ରୀମଦ୍ଭାଗବତରେ ପ୍ରଥମେ ନିଆ ଯାଇଛି।


‘‘ନମଇ ନୃସିଂହ ଚରଣ
ଅନାଦି ପରମ କାରଣ’’।


ଅହଂକାରୀ ହିରଣ୍ୟକଶିପୁ ନିଜର ତପଶକ୍ତିର ମଦରେ ନିଜକୁ ଭଗବାନ ବୋଲି ପ୍ରଚାର କରୁଥିଲା ଓ ଭଗବାନ ବିଷ୍ଣୁଙ୍କର ସେବକମାନଙ୍କୁ ନିର୍ଯ୍ୟାତିତ କରି ହତ୍ୟା କରୁଥିଲା। ତା’ର ନିଜ ପୁତ୍ର ପ୍ରହଲ୍ଲାଦ ହରିଭକ୍ତ ଥିଲେ। ସେ ପ୍ରହଲ୍ଲାଦଙ୍କୁ ହରିଭକ୍ତିରୁ ବିରତ କରିବାପାଇଁ ଶତ ଚେଷ୍ଟା କରି ବିଫଳ ହେବା ପରେ ତାଙ୍କୁ ହତ୍ୟା କରିବାପାଇଁ ତାଙ୍କ ନିକଟକୁ ଆସି ନିଜର ପ୍ରଭୁ କେଉଁଠାରେ ଅଛନ୍ତି ବୋଲି ପଚାରିଲେ। ପ୍ରହଲ୍ଲାଦ ନିଜ ପ୍ରଭୁଙ୍କର ସର୍ବତ୍ର ବିଦ୍ୟମାନତାର ଗୁଣ ଗାନ କରିବାରୁ ସେ ରୁଷ୍ଟ ହୋଇ ନିକଟସ୍ଥ ଖମ୍ବରେ ନିଜ ପ୍ରଭୁଙ୍କର ଉପସ୍ଥିତିକୁ ପ୍ରମାଣ କରିବାପାଇଁ ପ୍ରହଲ୍ଲାଦକୁ ବାଧ୍ୟକରି ନିଜ ଗଦାରେ ସେହି ଖମ୍ବକୁ ପ୍ରଚଣ୍ଡ ଆଘାତ କଲା। ହିରଣ୍ୟକଶିପୁକୁ ବର ମିଳିଥିଲା ଯେ ତା’ର ମୃତ୍ୟୁ ଦିନରେ କି ରାତିରେ ହେବନାହିଁ, ମଣିଷ କି ଦେବତାଦ୍ୱାରା ହେବନାହିଁ, ଅସ୍ତ୍ର-ଶସ୍ତ୍ରାଦିଦ୍ୱାରା ହେବ ନାହିଁ। ବରଦାନ ଅନୁସାରେ ଅଦ୍ଭୁତରୂପନେଇ ବିଷ୍ଣୁ ପ୍ରକଟ ହେଲେ, ଦିନରେ ନୁହଁ କି ରାତିରେ ନୁହଁ ଗୋଧୂଳି ସମୟରେ, ନର ନୁହେଁ କି ଦେବତା ନୁହଁ ନରସିଂହ ରୂପରେ ଏବଂ ତା’ର ପ୍ରାଣ ନାଶିଲେ ଅସ୍ତ୍ର କି ଶସ୍ତ୍ର ନୁହଁ ନିଜ ନଖରେ। ତାଙ୍କର ଦେହ ନର ଆକାରର ଓ ମସ୍ତକ ଓ ନଖ ସିଂହ ମସ୍ତକ ଓ ନଖ ସଦୃଶ ଭୟଂକର। ପ୍ରହଲ୍ଲାଦ ଏହି ରୂପକୁ ଦେଖି ଭୟାତୁର ହୋଇଥିବାରୁ ସେ ପରକ୍ଷଣରେ ତାଙ୍କୁ ଆଶ୍ୱାସନା ଓ ଅଭୟ ପ୍ରଦାନ କରିଥିଲେ। ତାଙ୍କର ଏହି ରୂପକୁ ମୁଖ୍ୟତଃ ହିନ୍ଦୁ ଧର୍ମର ବୈଷ୍ଣବମାନେ ପୂଜା କରିଥାନ୍ତି। ରକ୍ଷାକର୍ତ୍ତା ଓ ବିପଦ ତାରଣକାରୀ ରୂପେ ସେ ଅଗ୍ରପୂଜିତ । (ସୌଜନ୍ୟ:ଶ୍ରୀ ନିଳକଣ୍ଠ ମୁଦ୍ରା)