ଲୋକନାଥ ମନ୍ଦିର । ପାର୍ବତୀ ପୋଖରୀ (ସାଗର)

ପୁରୀରେ ଲୋକନାଥ ମନ୍ଦିର ଅବସ୍ଥିତ । ଶ୍ରୀ ମନ୍ଦିର ର ପଶ୍ଚିମ ଦିଗରେ ଦୁଇ କିଲୋମିଟର ଦୂରରେ ଏହି ମନ୍ଦିର ଅବସ୍ଥିତ । ମନ୍ଦିର ବେଢାର ସମ୍ମୁଖ ଭାଗରେ ପାର୍ବତୀ ସାଗର ନାମକ ଏକ ପୁଷ୍କରଣୀ ରହିଛି । ଦଶ ଏକର ପରିମିତ ଜମିରେ ଏହି ମନ୍ଦିର ଅବସ୍ଥିତ । ମନ୍ଦିର ର ପତ୍ତନଠାରୁ ଦଶଫୁଟ ନିମ୍ନ ରେ ଜଳାଶୟରେ ଲିଙ୍ଗ ମୂର୍ତ୍ତି ପୂଜା ପାଉଛନ୍ତି ।ବର୍ଷକରେ ଥରେ ଅର୍ଥାତ୍ ଫାଲଗୁନ କୃଷ୍ଣ ଏକାଦଶୀକୁ ବା ପଙ୍କୋଦ୍ଧାର ଏକାଦଶୀ ଦିନ ଜଳରୁ ମହାପ୍ରଭୁଙ୍କ ର ଦର୍ଶନ ର ସୌଭାଗ୍ଯ ମିଳିଥାଏ । ଲୋକନାଥଙ୍କ ବିଜେ ପ୍ରତିମା ‘ଭଣ୍ଡାର ଲୋକନାଥ’ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ।ଏଠାରେ ବର୍ଷସାରା ଲୋକନାଥଙ୍କ ଶ୍ରୀଲିଙ୍ଗ ପାଣି ଭିତରେ ବୁଡ଼ି ରହିଥାନ୍ତି । ଜଳବିହାରୀ ଶ୍ରୀଲୋକନାଥଙ୍କ ଲିଙ୍ଗରୁ ବର୍ଷସାରା ଜଳ ନିର୍ଗମ ହୋଇ ମନ୍ଦିର ଗମ୍ଭିରାକୁ ପରିପୂର୍ଣ୍ଣ କରିଦେଇଥାଏ । ଶ୍ରୀକ୍ଷେତ୍ରେ ବିଜେ ବାବା ଶ୍ରୀଲୋକନାଥଙ୍କ ଶକ୍ତି ବିଜେ କରିଥିବା ଗର୍ଭଗୃହରୁ ପଙ୍କୋଦ୍ଧାର ଏକାଦଶୀରେ ପଙ୍କୋଦ୍ଧାର ହୋଇଥାଏ । ବର୍ଷସାରା ପ୍ରଭୁଙ୍କ ଲିଙ୍ଗ ଉପରେ ଲାଗି କରାଯାଇଥିବା ଫୁଲ, ବେଲପତ୍ର, ଛାଚି, କଦଳୀ ଓ ଜମି ଯାଇଥିବା ପଙ୍କ ଏହି ଅବସରରେ ବାହାର କରାଯାଇଥାଏ । ସେବାୟତମାନେ ଗମ୍ଭିରାରୁ ପଙ୍କ ଓ ପୂଜା ସାମଗ୍ରୀକୁ ଉଦ୍ଧାର କରିବା ପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ବର୍ଷକରେ ଦିନେ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

ବୈଶାଖ ଶେଷ ସୋମବାର ଦିନ ଏଠାରେ ନୂଆ ଧାନରୁ ପ୍ରସ୍ତୁତ ଚୁଡାରେ ଚୁଡ଼ାଘଷା କରି ଭୋଗ ଅର୍ପଣ କରାଯାଇଥାଏ । ମହାଶିବରାତ୍ରି ତଥା ଜାଗରଯାତ୍ରା ମଧ୍ୟ ମହାସମାରୋହରେ ପାଳିତ ହୋଇଥାଏ । ମହାଶିବରାତ୍ରି ରେ ଏଠାରେ ସ୍ବତନ୍ତ୍ର ପୂଜା ହରିହର ଭେଟ (ଶୈବ ଓ ବୈଷ୍ଣବ ଙ୍କ ମିଳନ ହୋଇଥାଏ । ଏଠାରେ ଲିଙ୍ଗ ପଶ୍ଚିମ ମୁଖା ଅର୍ଥାତ୍ କାମନା ଲିଙ୍ଗ ଭାବେ ପୂଜିତ କଥିତ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ତ୍ରେତୟା ଯୁଗରେ ଏହାଙ୍କୁ ପୂଜା କରିଥିଲେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଚିବ ତଥା ଭଣ୍ଡାରଘର ର ରକ୍ଷକ ଭାବେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ।(ସୌଜନ୍ୟ:ଶ୍ରୀ ନିଳକଣ୍ଠ ମୁଦ୍ରା)