କାର୍ତ୍ତିକ ପୂର୍ଣ୍ଣିମା ରାସ ପୂର୍ଣ୍ଣିମା ନାମରେ ମଧ୍ଯ ପରିଚିତ ।ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତଃପ୍ରୋତ ଭାବେ ଜଡିତ । ଗୌରବମୟ ଉତ୍କଳ ର ପ୍ରାଚୀନ ଇତିହାସ ସହିତ ଏହା ନିବିଡ ସମ୍ପର୍କ ରଖିଛି । ଅତଏବ ଧର୍ମଗତ ଓ ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ଯ ପରିପୂର୍ଣ୍ଣ ।ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ର ଆରାଧନା ଏହି ମାସରେ ଅତ୍ୟନ୍ତ ଉସ୍ଚାହ ର ସହ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ ।

ଓଡ଼ିଶାର ଆଦିକବି ଶୂଦ୍ରମୁନି ସାରଳାଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କ ରେ ବର୍ଣ୍ଣନା କରିଛନ୍ତି ।ଏଥିରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜ ଓ ଭୀଷ୍ମ ଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗ ରୁ ଜଣାଯାଏ ଯେ,କାର୍ତ୍ତିକ ମାସରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ର ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।ପୁନଶ୍ଚ କାର୍ତ୍ତିକ ଏକ ପବିତ୍ର ପୁଣ୍ୟ ତଥା ପରମଧର୍ମର ମାସ ଭାବେ ବିବେଚିତ ଏହି ମାସରେ ବୟସ୍କ ତଥା ଆବାଳବୃଦ୍ଧବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବଦର୍ଶନ ଓ ନଗର ସଂକୀର୍ତ୍ତନ ରେ ଆତ୍ମବିଭୋର ହୋଇଉଠନ୍ତି ।ଏହିଦିନ ମହିଳାମାନେ ରାଇଦାମୋଦର ପୂଜା ସମାପନ କରିବା ସହିତ ବ୍ରାହ୍ମଣ ଭୋଜନ ଓ ବ୍ରାହ୍ମଣ ଙ୍କୁ ବସ୍ତ୍ର ଓ ଛଞ୍ଚା ଦାନ ପୂର୍ବକ କାର୍ତ୍ତିକ ବ୍ରତ ସମାପନ କରିଥାନ୍ତି ।ବିଧବାମାନଙ୍କ ଲାଗି ଏହି ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ସେମାନେ ନିଷ୍ଠାର ସହିତ ଦାମୋଦର ବ୍ରତ ପୂଜା କରିବା ସହିତ ହବିଷପାଳନ ପୂର୍ବକ କାର୍ତ୍ତିକ ମହାତ୍ମ୍ୟ ଓ ବିଭିନ୍ନ ପୁରାଣ ପାଠ ଭଜନ କୀର୍ତ୍ତନ ସହିତ ଆକାଶଦୀପ ଜାଳିଥାନ୍ତି ।ତୁଳସୀବୃକ୍ଷ ମୂଳରେ ପଞ୍ଚ ମୁରୁଜରେ ମଣ୍ଡଳ ମାନ କରି ଅତି ଭକ୍ତି ସହକାରେ ତୁଳସୀ ଗଛକୁ ପୂଜା କରିଥାନ୍ତି ।ପୌରାଣିକ ତଥ୍ଯ ଅନୁଯାୟୀ ରାକ୍ଷସ ଜଳନ୍ଧର ନିଜ ସତୀ ସାଧ୍ଵୀ ପତ୍ନୀ ବୃନ୍ଦାବତୀ (ତୁଳସୀ )ଙ୍କ ପବିତ୍ରତା ବଳରେ ବଳିୟାନ ହୋଇଥିଲା ଓ ବୃନ୍ଦାବତୀ ଙ୍କ ସତୀତ୍ୱ ଅକ୍ଷୁର୍ଣ୍ଣ ଥିବା ପର୍ଯ୍ୟନ୍ତ ବହୁଚେଷ୍ଟା ସତ୍ତ୍ୱେ ଦେବତାମାନେ ଜଳନ୍ଧର ର କୌଣସି ଅନିଷ୍ଟ କରିପାରୁନଥିଲେ । ଏଣୁ ଭଗବାନ ବିଷ୍ଣୁ ମାୟା ବଳରେ ତୁଳସୀ ଙ୍କର ସତୀତ୍ୱ ହରଣ କରିଥିଲେ ଓ ଜଳନ୍ଧର କୁ ବଧ କରିଥିଲେ । ଏଣୁ ତୁଳସୀ ର ମହତ୍ବ ବଢିଯାଇଥିଲା ଓ ପ୍ରଭୁ ଶ୍ରୀ ବିଷ୍ଣୁ ଏହାକୁ ପରମ୍ପରା ପବିତ୍ର କରିଦେଇଥିଲେ ।


ପୂର୍ଣ୍ଣିମା ଦିନ କଦଳୀ ପଟୁଆରେ ନିର୍ମିତ ଡଙ୍ଗା ଭସାଇବାର ବିଧି ରହିଛି ।ସେଦିନ ପ୍ରତ୍ୟୁଷରୁ ଆବାଳବୃଦ୍ଧବନିତା ନଦୀ ବା ପୁଷ୍କରିଣୀ ରେ ସ୍ନାନ କରି କଦଳୀ ବାସୁଙ୍ଗା ବା ଶୋକରେ ନିର୍ମିତ ଡଙ୍ଗାରେ ଦୀପଜାଳି ଓ ସେଥିରେ ପାନଗୁଆ ଥୋଇ “ଆ କା ଭା ବୈ, ପାନଗୁଆ ଥୋଇ ବା ପାନଗୁଆ ତୋର ମାସକ ଧରମ ମୋର”।ବୋଲି ଗାନ କରି ପୂଣ୍ଯ ମନାସି ଭସାଇ ଦିଅନ୍ତି ।


ଗଙ୍ଗା ବା ଲକ୍ଷ୍ମୀନାରାୟଣ ଉପାସନା ଛଳରେ ଓଡ଼ିଶାର ନରନାରୀ ଜଳରେ ସ୍ୱଦେଶ ସଂସ୍କୃତି ର ପ୍ରତୀକ ଉପାସନା ସାମଗ୍ରୀ ତାମ୍ବୁଳ, ଅକ୍ଷତ,ତିଳ ନିକ୍ଷେପ ପୂର୍ବକ ପ୍ରତିଦାନ ସ୍ବରୂପ ଦେବତା ଙ୍କ ଠାରୁ ପୂଣ୍ଯ ଆଶା କରିଥାନ୍ତି । ଏହି ପୂର୍ଣ୍ଣିମା ଅବକାଶରେ ଶ୍ୟାମଦେଶ (ଥାଇଲାଣ୍ଡ )ରେ କଦଳୀ ପଟୁଆରେ ନିର୍ମିତ ଡଙ୍ଗା ଏବେ ମଧ୍ଯ ଭସାଇବାର ବିଧି ପ୍ରଚଳିତ ହୋଇଆସୁଛି ।ପ୍ରାଚୀନ ଉତ୍କଳର ଐତିହାସିକ ରାଜଧାନୀ କଟକ ନଗରୀ ଉପକଣ୍ଠସ୍ଥ ବାରବାଟି ଦୂର୍ଗ ନିକଟବର୍ତ୍ତୀ ଅଞ୍ଚଳରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ ।କିମ୍ବଦନ୍ତୀ କୁହେ ଶ୍ରୀ ଚୈତନ୍ୟ ମହାପ୍ରଭୁ ୧୯୦୩ ମସିହା କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ଠାରୁ ବାଲିରେ ଚାଲିଚାଲି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ ।ସେବେଠାରୁ ଏହି ବାଲିଯାତ୍ରା ପାଳିତ ହୋଇଆସୁଛି ।ଏହା ଓଡ଼ିଶାର ଏକ ପ୍ରମୁଖ ଉସ୍ଚବ । କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଉତ୍ସବ ନାମରେ ମଧ୍ଯ ଖ୍ୟାତି ଲାଭ କରିଛି ।(
ସୌଜନ୍ୟ:ଶ୍ରୀ ନିଳକଣ୍ଠ ମୁଦ୍ରା)